କୋଭିଡ୍‌- ୧୯ ରଣନୀତିରେ ରାଜ୍ୟ ସରକାର ଆଜିଠାରୁ କିଛିଟା ପରିବର୍ତ୍ତନ ଆଣିଛନ୍ତି। ବିଶେଷକରି କୋଭିଡ୍‌- ୧୯ ରୋଗୀମାନଙ୍କର ଡିସଚାର୍ଯ୍ୟ ଓ ହୋମ୍‌ ଆଇସୋଲେସନ୍‌ (ଏକାନ୍ତବାସ) ପଲିସି ବା ନୀତିରେ ରାଜ୍ୟ ସରକାର ଏକ ବଡ଼ ଧରଣର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।
          

ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ସୂଚନା ପ୍ରଦାନ କରି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ ସାମାନ୍ୟ ଲକ୍ଷଣ ଥିବା ବା କୌଣସି ପ୍ରକାରର ଲକ୍ଷଣ ପରିଲକ୍ଷିତ ହେଉ ନ ଥିବା କୋଭିଡ୍‌-୧୯ ରୋଗୀମାନଙ୍କ ପାଇଁ ଗତ ମେ ୮ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ନୂତନ ଗାଇଡ୍‌ ଲାଇନ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି। ତେବେ, ରାଜ୍ୟ ସରକାର ଏଥିରେ ସାମାନ୍ୟ ପରିବର୍ତ୍ତନ କରିବା ସହ ଆହୁରି କଠୋର ଓ ଶକ୍ତ କରି ଏହାକୁ ଆଜି ଠାରୁ ରାଜ୍ୟରେ ଲାଗୁ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକାରେ ବିଗତ ୧୦ ଧରି ଲକ୍ଷଣ ଦେଖିବାକୁ ମିଳି ନଥିବା ଓ କ୍ରମାଗତ ଭାବେ ତିନିଦିନ ଧରି ଜ୍ୱର ନଥିବା ରୋଗୀମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଯ୍ୟ କରାଯାଇ ପାରିବ ବୋଲି କହିଛନ୍ତି। ସେହିପରି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଲକ୍ଷଣ ପ୍ରକାଶ ପାଇବା ବନ୍ଦ ହେବାର ୩ ଦିନ ପରେ ମଧ୍ୟ ସେମାନଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଯ୍ୟ କରାଯାଇ ପାରିବ ବୋଲି କହିଛନ୍ତି।