ପ୍ରତ୍ୟେକ ଦିନ ରାଜ୍ୟରେ କରୋନା ଚିତ୍ର ବଦଳୁଛି। ବିଶେଷକରି ୪ ଦିନ ଭିତରେ ରାଜ୍ୟରେ କରୋନା ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ସଂକ୍ରମିତଙ୍କ ସଂଖ୍ୟା ୨ଶହରୁ ଡେଇଁ ୪ଶହ ପାର୍‌ ହୋଇଯାଇଛି। ସୁରତ ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ କରୋନା ଚିତ୍ରରେ ଏଭଳି ପରିବର୍ତନ ଆସିଛି। ରାଜ୍ୟରେ ଆଜି ଗୋଟିଏ ଦିନରେ ୩୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବେଳେ ସୁନ୍ଦରଗଡ଼, ଯାଜପୁର, ମୟୂରଭଞ୍ଜ, କଟକ ଓ ବୌଦ୍ଧ ଜିଲ୍ଲାରେ ମଧ୍ୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଆଜି ଚିହ୍ନଟଙ୍କ ମଧ୍ୟରୁ ଅଧିକାଂଶ ସୁରତ ଫେରନ୍ତା ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୪୧୪ରେ ପହଞ୍ଚିଛି। ଆଗକୁ ଏହି ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହେବ ବୋଲି ଆଶଙ୍କା କରାଯାଉଛି।
                 
ଆଜି ଗଞ୍ଜାମ ଜିଲ୍ଲାରେ ୨୯ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାସହ ସୁନ୍ଦରଗଡ଼ରୁ ୩, ଯାଜପୁର, ମୟୂରଭଞ୍ଜ, ବୌଦ୍ଧ, କେନ୍ଦ୍ରାପଡ଼ା ଓ କଟକରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଉରକେଲାରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ପୂର୍ବରୁ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ୩୭.୨ ପ୍ରତିଶତ କେବଳ ଗଞ୍ଜାମ ଜିଲ୍ଲାରେ ରହିଛି। ଏହାସହ ଯାଜପୁରରେ ୬୧, ସୁନ୍ଦରଗଡ଼ରେ ୧୬, ମୟୂରଭଞ୍ଜରେ ୯, କଟକ ୩, ବୌଦ୍ଧ ୪ରେ ପହଞ୍ଚିଛି। ଅପରପକ୍ଷରେ ରାଜ୍ୟର ୨୧ଟି ଜିଲ୍ଲା ଏବେ କରୋନା କବଳରେ ରହିଛି।