କରୋନା ମହାମାରୀ ଭାରତରେ ଦିନକୁ ଦିନ ଅଧିକ ଗୁରୁତର ଆକାର ଧାରଣ କଲାଣି । ୨୪ ଘଣ୍ଟାରେ ଭାରତରେ ରେକର୍ଡ ୩୯୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୪୬୪୩୩ ରେ ପହଞ୍ଚିଛି । ଚିନ୍ତାଜନକ ବିଷୟ ହେଉଛି ଗୋଟିଏ ଦିନରେ ପ୍ରାୟ ୧୯୫ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ।

ମନ୍ତ୍ରାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଗତ ୨୪ ଘଣ୍ଟାରେ ଦେଶରେ ୧୦୨୦ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଫଳରେ ଭାରତର ମୃତ୍ୟୁହାର ୩ ପ୍ରତିଶତ ରହିଥିବାବେଳେ ଆରୋଗ୍ୟ ହାର ୨୭.୪ ପ୍ରତିଶତ ରହିଛି ।
 ଗୋଟିଏ ଦିନରେଏତେ ସଂଖ୍ୟକ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢିବା ସମ୍ପର୍କରେ ସେ କହିଛନ୍ତି ଯେ କେତେକ ରାଜ୍ୟ ପୂର୍ବରୁ ଠିକ ସମୟର ତଥ୍ୟ ଦେଉନଥିଲେ । ଏବେ ସେମାନେ ତଥ୍ୟ ଦେବା ପରେ ସଂଖ୍ୟା ବଢିଯାଇଛି । ଅନ୍ୟପକ୍ଷରେ ଅଣ-କରୋନା ରୋଗୀମାନେ ଯେପରି ଡାକ୍ତରଖାନାରେ ଠିକଭାବେ ଚିକିତ୍ସିତ ହୋଇପାରିବେ ତାହାକୁ ନିଶ୍ଚିତ କରାଯାଉଛି । ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା ଯେପରି ବିନା ପ୍ରତିବନ୍ଧକରେ ଚାଲିବ ତାହା ରାଜ୍ୟମାନେ ନିଶ୍ଚିତ କରିବା ଆବଶ୍ୟକ ।